ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୪ ପାଳିତ*

 ଜିଲ୍ଲାସ୍ତରୀୟ  ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୪ ପାଳିତ*

ଅନ୍ତର୍ଭୁକ୍ତି ଏବଂ ଅଭିଗମ୍ୟତା ଦ୍ୱାରା ଭିନ୍ନକ୍ଷମଙ୍କ ସଶକ୍ତିକରଣ ସମ୍ଭବ: ଜିଲ୍ଲାପାଳ

  ସ୍ଵରାଜ ବାର୍ତ୍ତା /ବରଗଡ, ୩/୧୨/(ଯୋଗେନ୍ଦ୍ର ସାହୁ )ବରଗଡ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଟାଉନ ହଲ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୪ ପାଳିତ ହୋଇଯାଇଛି । ଭିନ୍ନକ୍ଷମଙ୍କ ଅନ୍ତର୍ଭୁକ୍ତି, ଅଭିଗମ୍ୟତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଡିଏଲଏସଏ ଶ୍ରୀ କେ କେ ରାଉତ ମଞ୍ଚାସୀନ ଥିଲେ Iଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତିବଦ୍ଧ I ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୂକ୍ତ କରିବା ତଥା ସୁବିଧାଜନକ ପରିବେଶ ସୃଷ୍ଟି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଗୋୟଲ କହିଥିଲେ I ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସଭିଙ୍କର ମିଳିତ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ଭିନ୍ନକ୍ଷମଙ୍କୁ ସମାଜର ସବୁ ସ୍ତରରେ ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ବର୍ତ୍ତମାନର ସବୁଠାରୁ ବଡ ଆବଶ୍ୟକତା ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଣ୍ଡେ ନିଜର ବାର୍ତ୍ତା ରଖିଥିଲେ I ମୁଖ୍ୟବକ୍ତା ତଥା ଡିଏଲଏସଏ ଶ୍ରୀ ରାଉତ ଭିନ୍ନକ୍ଷମ ମାନଙ୍କ ପାଇଁ ଭାରତୀୟ ସବିଧାନର ଥିବା ସମସ୍ତ ଅଧିନିୟମ ବିଷୟରେ ବୁଝାଇ କହିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ତାହିର ହୁସେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ସକାଳ ଘ. ୮.୩୦ ସମୟରେ ଏକ ସଚେତନତା ରାଲିର (ୱାକାଥନ୍) ଆୟୋଜନ କରାଯାଇଥିଲା I ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ଥାନୀୟ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟ ପରିଷରରେ ନବ ନିର୍ମିତ କ୍ରିଡା ଉଦ୍ୟାନ ଉଦ୍ଘାଟନ କରିବା ପରେ ସଚେତନତା ରାଲିର ଶୁଭାରମ୍ଭ କରିବା ପରେ ଉଭୟ ସକ୍ଷମ ଓ ଭିନ୍ନକ୍ଷମ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଏହି ରାଲି ବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ଗନ୍ଧିଛକ ଦେଇ ଟାଉନ ହଲ ଠାରେ ସମାପ୍ତ ହୋଇଥିଲା I ଏହାପରେ ଟାଉନ ହଲ ଠାରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ଜିଲ୍ଲାର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିବା କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I

No comments

Powered by Blogger.