କୋଶଲି/ସମ୍ବଲପୁରୀ ଭାଷାରେ ନିର୍ମିତ ଚଳଚିତ୍ର “ଜଙ୍ଗଲ ଜଲୁଛେ”ର ଟ୍ରେଲର ଉନ୍ମୋଚିତ*

 

ସ୍ଵରାଜବାର୍ତ୍ତା/ସୁବର୍ଣ୍ଣପୁର:-(ମହାଦେବ ମଲ୍ଲିକ)ଭୁବନେଶ୍ବର ଜୟଦେବ ଭବନରେ ପଶ୍ଚିମ ଓଡିଶାର ଭାଷା ସଂସ୍କୃତି ତଥା ସୁବର୍ଣ୍ଣପୁର କଥାବସ୍ତୁ ଆଧାରିତ ଚଳଚିତ୍ର ‘ଜଙ୍ଗଲ ଜଲୁଛେ’ ର ଟ୍ରେଲର ଉନ୍ମୋଚନ କାର୍ଯ୍ୟକ୍ରମ ମହା ସମାରୋହରେ ସଂପନ୍ନ ହୋଇଛି I ଏହି ଉପଲକ୍ଷେ “ଓଡିଶାର ବିକାଶରେ ଆଞ୍ଚଳିକ ଭାଷା ସଂସ୍କୃତିର ମହତ୍ତ୍ବ” ବିଷୟ ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ମାନବ ଅଧିକାର ଆୟୋଗ ଜଷ୍ଟିସ ଶତୃଘ୍ନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ , ଲେଫ୍ଟେନାଣ୍ଟ ଜେନେରାଲ ଡ. ନାରାୟଣ ମହାନ୍ତି , ପୂର୍ବତନ ସାଂସଦ ଡ. ପ୍ରଭାସ ସିଂ, ପୂର୍ବତନ ବିଧାୟକ ନାଉରୀ ନାଏକ, ସତ୍ୟ ମହିମା ସାଧୁ ବିରଞ୍ଚି ବାବା, ପୂର୍ବତନ ଅଧ୍ୟକ୍ଷା , ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ନିବେଦିତା ନାୟକ , ପ୍ରାଧ୍ୟାପିକା ମୀନା ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ I ଏଥିରେ ଅବସରପ୍ରାପ୍ତ ଆଇ.ଏ.ଏସ. ତଥା ଉତ୍କଳ ସଂସ୍କୃତି ବିଶ୍ବ ବିଦ୍ୟାଳୟର ପ୍ରାକ୍ତନ କୁଳପତି ନରେନ୍ଦ୍ର କୁମାର ମିଶ୍ର ଅଧ୍ୟକ୍ଷତା କରି କୋଶଲି/ସମ୍ବଲପୁରୀ ଭାଷା ଓ ସଂସ୍କୃତିର ଉତ୍କର୍ଷ ସଂପର୍କରେ ଉଲ୍ଲେଖ କରିବା ସହ ଏହି ଭାଷାକୁ ସାମ୍ବିଧାନିକ ମାନ୍ୟତା ଶୀଘ୍ର ମିଳିବା ଉଚ୍ଚିତ ବୋଲି ମତ ପ୍ରକାଶ କରିଥିଲେ I ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ପାଇଁ ଏହି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା ସହ ଏହାକୁ ରାଜ୍ୟର ଦ୍ବିତୀୟ ରାଜଭାଷା ଭାବେ ସରକାର ଗ୍ରହଣ କରିବା ଉଚ୍ଚିତ ବୋଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ I ଅନ୍ୟ ବକ୍ତାମାନେ ଉକ୍ତ ପ୍ରସ୍ତାବକୁ ସମର୍ଥନ କରିବା ସହ ପଶ୍ଚିମ ଓଡିଶାର ଭାଷା ସଂସ୍କୃତିର ଉତ୍କର୍ଷ ସଂମ୍ପର୍କରେ ଆଲୋକପାତ କରିଥିଲେ I ଓଜିଶାର ସାଂସ୍କୃତିକ ନାଭିକେନ୍ଦ୍ର ଭାବେ ସୁବର୍ଣ୍ଣପୁର ପ୍ରାଚୀନ କାଳରୁ ପ୍ରତିଷ୍ଠିତ ହୋଇ ପାରିଛି ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ I କୋଶଲି/ସମ୍ବଲପୁରୀ ଭାଷାରେ ନିର୍ମିତ ଚଳଚିତ୍ର ‘ଜଙ୍ଗଲ ଜଲୁଛେ’ ହେଉଛି ପଶ୍ଚିମ ଓଡିଶାର ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ନିର୍ମିତ ପ୍ରଥମ ଚଳଚିତ୍ର ବୋଲି ସମସ୍ତେ ମତାମତ ଦେବାସହ ଏହାର ଟ୍ରେଲର ଦେଖି ଉଚ୍ଚ ପ୍ରଶଂସା କରିଥିଲେ I ଚଳଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ସ୍ଥାପନା ଚେରିଟାବଲ ଟ୍ରଷ୍ଟର ସଂସ୍ଥାପିକା ନିବେଦିତା ନାୟକ ଏବଂ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ସୁବର୍ଣ୍ଣପୁରର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା I ଏହାର ନିର୍ଦ୍ଦେଶନା ଦେଇଛନ୍ତି ସରୋଜ କୁମାର ଭୂୟାଁ I କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଚଳଚିତ୍ରର ସହଯୋଗୀ ପ୍ରଯୋଜକ ଓ ନିର୍ଦ୍ଦେଶକ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ I ଏହି ଚଳଚିତ୍ରରେ ଅଭିନୟ କରିଥିବା ପ୍ରଖ୍ୟାତ କଳାକାର ଅଶ୍ରୁମୋଚନ ମହାନ୍ତି , ପ୍ରଦ୍ୟୁମ୍ନ ଲେଙ୍କା, ଦେବେନ୍ଦ୍ର ମିଶ୍ର ପ୍ରମୁଖଙ୍କ ସହ ସୁବଣ୍ଣପୁରର ଶ୍ରଦ୍ଧାଂଜଳି ମିଶ୍ର, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ I ଏହି ଉପଲକ୍ଷେ ଗୋରେଖନାଥ ସାହୁଙ୍କ ରଚିତ କୋଶଲି/ସମ୍ବଲପୁରୀ ଭାଷାର ପ୍ରବନ୍ଧମାଳା ‘ଶ୍ରଦ୍ଧାଂଜଳି’ ଲୋକାର୍ପିତ ହୋଇଥିଲା I ଏହି ଅବସରରେ ଓଡିଶୀ ନୃତ୍ୟ ବିଶାରଦ ଡ. ଚନ୍ଦନା ରାଉଳ ତଥା ପୁରୀର ମାମାଲି ଗ୍ରୁପ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ Iଶେଷରେ ସରୋଜ କୁମାର ଭୂୟାଁ ଧନ୍ୟବାଦ ଦେଇଥିଲେ I

No comments

Powered by Blogger.